ପଖାଳ ଗଜଲ

ନିଦାଘ ଜ୍ୱାଳାରେ ଶୀତଳତା ଭରେ କେମିତି ଯିବି ମୁଁ ଭୁଲି

ଓଡିଆ ଜାତିର ମାଆ ଦୁଧ ସିଏ କେମିତି ଯିବି ମୁଁ ଭୁଲି?

 

କଳିଙ୍ଗର ବୀର ପାଇକ ତା’ବଳେ କରିଥିଲେ ଦେଶ ଜୟ

ଏଡେ ଶରଧାରେ ଜଗନ୍ନାଥ ଖାଏ କେମିତି ଯିବି ମୁଁ ଭୁଲି?

 

ସୁନାର ଫସଲ ପାଇଁ ଚଷାଭାଇ ଖରାବରଷାରେ ଯୁଝେ

ଶ୍ରମଭାରକୁ ସେ ଲାଘବ କରାଏ କେମିତି ଯିବି ମୁଁ ଭୁଲି?

 

ସରଳତା ପାଇଁ ଓଡିଆ ଜାତି ଯା’ ଆଦୄତ ଜଗତରେ

ସେ ସରଳତା ତାକୁ ଶିଖେଇଛି ସିଏ କେମିତି ଯିବି ମୁଁ ଭୁଲି?

 

ଆଧାର ନୁହେଁ ସେ ପ୍ରିୟ ସଖା ମୋର ବାଳୁତ କାଳରୁ ସାଥୀ

ଏତେ ଶାନ୍ତି ଭରେ ପରାଣେ ମୋ ଯିଏ କେମିତି ଯିବି ମୁଁ ଭୁଲି?

 

ଗ୍ରୀଷ୍ମ ଅବକାଶେ ଖେଳର ଶେଷରେ ସ୍ୱେଦରେ ଜରଜର

କେଡେ ସରାଗରେ ତୋରାଣି ତା’ ପିଏ କେମିତି ଯିବି ମୁଁ ଭୁଲି?

 

ଧବଳ ପଖାଳ, ‘ଶ୍ୟାମ’ ସବୁଜ ଯେ ଶାଗ ଭଜା ତାର ସଙ୍ଗୀ

ଓଡିଆ ବୋଲି ମୋ ପରିଚୟ ଦିଏ କେମିତି ଯିବି ମୁଁ ଭୁଲି?

Advertisements